Unknown

 

 

 

 

 

 

 

 

 

ଲହଡ଼ା ଏବଂ କେନ୍ଦୁଝର

ରାଧାନାଥ ରାୟ

 

ଲହଡ଼ା ଏବଂ କେନ୍ଦୁଝର

 

ବାମଣ୍ଡାରୁ ଲହଡ଼ା ଆସିବାକୁ ତିନି ଦିନ ଲାଗିଥିଲା । ଓଡ଼ିଶାର ସର୍ବପ୍ରଧାନ ପର୍ବତ ମାଲ୍ୟଗିରି ଲହଡ଼ା ରାଜଧାନୀର ତିନି କ୍ରୋଶ ଦୂରରେ ଅବସ୍ଥିତ । ଏହି ପର୍ବତକୁ କେହି କେହି ରାମାୟଣର ମାଲ୍ୟବନ୍ତ ବୋଲି କହନ୍ତି । ମାତ୍ର ଏ କଥା ପ୍ରାମାଣିକ ବୋଲି ବୋଧ ହେଉ ନାହିଁ । ବାଲ୍ମୀକିରେ ରାମଙ୍କର ଲଙ୍କାଗମନ ମାର୍ଗ ଯେମନ୍ତ ବର୍ଣ୍ଣିତ ହୋଇଅଛି, ତାହା ପଢ଼ିଲେ ଏହି ଭ୍ରମାତ୍ମକ ଅନୁମାନ ଅବଶ୍ୟ ବିଦୂରିତ ହେବ ।

 

ଆମ୍ଭେମାନେ ଲହଡ଼ାଭିମୁଖରେ ଯେତେ ଅଗ୍ରସର ହେଉଥିଲୁଁ, ମାଲ୍ୟଗିରିର ବିଶାଳ ଅବୟବମାନେ କ୍ରମଶଃ ପରିସ୍ଫୁଟ ହେଉଥିଲା । ଏହି ପର୍ବତଟି କେବଳ ଲହଡ଼ାର ନୁହେ, ଓଡ଼ିଶାର ମଧ୍ୟ ଗୋଟିଏ ପ୍ରଧାନ ଦୃଶ୍ୟ । ଦେଖିଲାକ୍ଷଣି ଏହାର ବିରାଟ ଭାବ ସ୍ପଷ୍ଟ ଉପଲବ୍ଧ ହୁଏ ।

 

ସମୟାଭାବରୁ ଆମ୍ଭେମାନେ ପର୍ବତର ଅତି ନିକଟବର୍ତ୍ତୀ ହୋଇ ସୁଦ୍ଧା ଆରୋହଣସୁଖରୁ ବଞ୍ଚିତ ହେଲୁଁ । ପର୍ବତ ମଧ୍ୟ ଅତି ଦୁରାରୋହ । ଗ୍ରୀଷ୍ମ ବ୍ୟତୀତ ଅନ୍ୟ ଋତୁରେ ଏହା ଦୁଷ୍ପ୍ରବେଶ୍ୟ । ବିଶେଷତଃ ଶୀତକାଳର ନିବିଡ଼ ଶିକୁଳା ବନ ପର୍ଯ୍ୟଟକମାନଙ୍କର ପ୍ରଧାନ ଅନ୍ତରାୟ ହୁଏ ।

 

ଲହଡ଼ା ରାଜଧାନୀ ମାଙ୍କଡ଼ା ନାମକ ବ୍ରାହ୍ମୀର ଗୋଟିଏ ଉପନଦୀ ତୀରରେ ଅବସ୍ଥିତ । ସ୍ଥାନଟି ଅପରିଷ୍କୃତ ନୁହେ, ମାତ୍ର ରାଜପଥର ବିଶେଷ ଅଭାବ ଲକ୍ଷିତ ହେଲା ।

 

ଶିକ୍ଷା ବିଷୟରେ ମହାରାଜଙ୍କର ଆସ୍ଥା ଥିବାର ବୋଧହେଲା । ମାତ୍ର ସେହି ଆଶା ରୀତିମତ କାର୍ଯ୍ୟରେ ପରିଣତ ହୋଇଥିବାର ପରିଚୟ ମିଳିଲା ନାହିଁ । ସଂସ୍କୃତ ଶିକ୍ଷା ବିଷୟରେ ମହାରାଜଙ୍କର ତ୍ରୁଟି ନାହିଁ ଏବଂ ସେହି ଅନୁଷ୍ଠାନ କିୟତ୍‌ପରିମାଣରେ ଫଳପ୍ରଦ ହୋଇଅଛି । ବିଦେଶୀୟ ସଂସ୍କୃତଜ୍ଞ ପଣ୍ଡିତମାନେ ମଧ୍ୟ ମହାରାଜଙ୍କଠାରୁ ଯଥେଷ୍ଟ ଉତ୍ସାହ ପ୍ରାପ୍ତ ହୁଅନ୍ତି ।

 

ପଥିକମାନଙ୍କ ପ୍ରତି ମହାରାଜଙ୍କର ଭଦ୍ରତା ଓ ସୌଜନ୍ୟର ପ୍ରତିଷ୍ଠା ପୂର୍ବରୁ ଶୁଣିଥିଲୁଁ । ଯାହା ଦେଖିଲୁଁ, ତାହା ସେହି ପ୍ରତିଷ୍ଠାର ସମ୍ପୂର୍ଣ୍ଣ ପୋଷାକ ଅଟେ । ମହାରାଜଙ୍କ ସହିତ ସାକ୍ଷାତ୍ କରି ତାହାଙ୍କ ସୁଶୀଳତା ଏବଂ ଅମାୟିକତାରେ ଆମ୍ଭେମାନେ ଅତ୍ୟନ୍ତ ପ୍ରୀତ ହୋଇଥିଲୁଁ । ଏହାଙ୍କ ରାଜ୍ୟ କ୍ଷୁଦ୍ର, ଆୟ ଅଳ୍ପ, ମାତ୍ର ହୃଦୟ ପ୍ରକୃତ ରାଜୋଚିତ ହୃଦୟ, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ତିନି ଚାରି ବର୍ଷ ତଳେ ମହାରାଜଙ୍କ ସମ୍ବନ୍ଧରେ କିପରି ଭୟାନକ ଜନରବ ଉଠିଥିଲା, ତାହା ପାଠକମାନଙ୍କର ସ୍ମରଣ ଥାଇପାରେ । ଦୁର୍ବୃତ୍ତର ଅସାଧ୍ୟ କାର୍ଯ୍ୟ ନାହିଁ, ସହସ୍ର ସାଧୁ ହେଲେ ସୁଦ୍ଧା ଦୁର୍ବୃତ୍ତର ହିଂସାର ଶରବ୍ୟ ହେବାକୁ ହୁଏ ।

 

ପୁଷ୍କରିଣୀ, ରାଜପଥ, ବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରଭୃତି ହିତକର କାର୍ଯ୍ୟ ସମ୍ବନ୍ଧରେ ଲହଡ଼ା ଆଶାନୁରୂପ ଅଗ୍ରସର ହୋଇଥିବାର ବୋଧ ହେଲା ନାହିଁ । ଋଣର ଆତିଶଯ୍ୟ ଗୋଟିଏ ପ୍ରଧାନ ଅନ୍ତରାୟ ସନ୍ଦେହ ନାହିଁ । ତଥାଚ ଆୟ ବ୍ୟୟର ସମତା ପ୍ରତି ଦୃଷ୍ଟି ରଖି ନିୟମିତରୂପେ ଚଳିପାରିଲେ ମହରାଜ ନିଜ ରାଜ୍ୟକୁ ଅନେକ ଦୂର ଉନ୍ନତିମାର୍ଗରେ ନେଇପାରିବେ ।

 

ଲହଡ଼ାରେ ଚାରି ଦିନ ଅବସ୍ଥାନାନନ୍ତର ଆମ୍ଭେମାନେ କେନ୍ଦୁଝର ଯାତ୍ରା କଲୁଁ । ଖଣ୍ଡାଧାର ବାଟେ ଯିବାର ପୂର୍ବରୁ ସଂକଳ୍ପ ଥିଲା, ମାତ୍ର କେତେକ ଅସୁବିଧା ଘଟିବାରୁ ଅଗତ୍ୟା ସେହି ସଂକଳ୍ପ ପରିତ୍ୟାଗ କଲୁଁ । ପ୍ରଥମ ଦିନ ପୂର୍ବାହ୍ନ ୧୧ଟାବେଳେ ବାହାରି ରାତ୍ର ଏକପ୍ରହର ସମୟରେ ଗୋବିନ୍ଦପୁର ନାମକ ଆରଣ୍ୟପଲ୍ଲୀରେ ଉପସ୍ଥିତ ହେଲୁଁ । ଏହି ମାର୍ଗ ଅତି ଉଚ୍ଚାବଚ ଏବଂ ନିବିଡ଼ ଅରଣ୍ୟାନୀମୟ । ବନଦେବତାର ପ୍ରାସାଦରୂପୀ ବିଶାଳ ବନସ୍ପତିମାନଙ୍କ ଛାୟାରେ ଚତୁର୍ଦ୍ଦିଗ ଅନ୍ଧକାରିତ ଏବଂ ଝିଲ୍ଲିରବରେ ବନଭୂମି ସର୍ବଦା ଝଙ୍କାରିତ । ଆମ୍ଭେମାନେ ଏ ଯାତ୍ରାରେ ଏପରି ଘୋର ଅରଣ୍ୟ ଏହି ପ୍ରଥମ ଦେଖିଲୁଁ । ଉଚ୍ଚ ଭୂମିରେ ସଞ୍ଚରଣବେଳେ ମାଲ୍ୟଗିରିର ଭୀଷଣ ମୂର୍ତ୍ତି ଏବଂ ତାହାର ବକ୍ଷସ୍ଥିତ ଗୋଟିଏ ସ୍ପଟିକବତ୍‌ ଶୁଭ୍ର ଜଳାସ୍ତରଣ ଆମ୍ଭମାନଙ୍କ ନେତ୍ରଗୋଚର ହେଉଥିଲା । ଏହି ଜଳାସ୍ତରଣ ସମ୍ଭବତଃ ଗୋଟିଏ ପ୍ରପାତ ହୋଇଥିବ । ଆମ୍ଭେମାନେ ମାର୍ଗରେ ଯାଉଁ ଯାଉଁ ସନ୍ଧ୍ୟା ସମୟରେ ଏକ ସ୍ଥାନରେ ସଦ୍ୟଃ ଗୋଟିଏ ବୃହତ୍ ବ୍ୟାଘ୍ର ଚାଲିଯାଇଥିବାର ସ୍ପଷ୍ଟ ଚିହ୍ନମାନ ଦେଖି ଶଙ୍କିତ ହେଲୁଁ ଏବଂ ସମସ୍ତେ ଦଳବାନ୍ଧି ଅଗ୍ରସର ହେବାକୁ ଲାଗିଲୁଁ ।

 

ଗୋବିନ୍ଦପୁର ଗୋଟିଏ କ୍ଷୁଦ୍ର ଭୂୟାଁ ପଲ୍ଲୀ । ପ୍ରତ୍ୟକ ଭୂୟାଁ ଗ୍ରାମରେ ଅବିବାହିତ ଯୁବକମାନଙ୍କର ରାତ୍ରିଶୟନ ସକାଶେ ପଲ୍ଲୀର ଅନତିଦୂରରେ ଗୋଟିଏ ଗୃହ ଥାଏ । ଏହି ଗୃହକୁ ‘‘ଭେଣ୍ଡିଆଘର’’ କହନ୍ତି । ଗ୍ରାମବାସୀମାନେ ଆମ୍ଭମାନଙ୍କୁ ଉକ୍ତ ଗୃହରେ ସ୍ଥାନ ଦେଲେ ଏବଂ ଆମ୍ଭମାନଙ୍କ ସମଭିବ୍ୟାହାରୀ ଲୋକମାନଙ୍କ ସକାଶେ ଗୋଟିଏ ପର୍ଣ୍ଣଶାଳା ପ୍ରସ୍ତୁତ କରିଦେଲେ । ଅନ୍ଧକାରରେ ଦାରୁଣ ଶୀତର କଷ୍ଟକୁ କଷ୍ଟ ଜ୍ଞାନ ନ କରି ଆବାଳବୃଦ୍ଧ ଗ୍ରାମବାସୀ ଆମ୍ଭମାନଙ୍କ ସୁବିଧା ବିଧାନ ସକାଶେ ଯେପରି ପରିଶ୍ରମ କଲେ, ତାହା ଦେଖି ଆମ୍ଭେମାନେ ଚମତ୍କୃତ ହେଲୁଁ । ଭୂୟାଁମାନେ ଦରିଦ୍ର ହେଲେ ମଧ୍ୟ ଅତ୍ୟନ୍ତ ଆତିଥେୟ । ଏମାନେ ବନ୍ୟ ଫଳମୂଳ ଖାଇ ବର୍ଷର ଅଧିକାଂଶ ସମୟ ଅତିବାହିତ କରନ୍ତି ସତ୍ୟ, ମାତ୍ର ପ୍ରତ୍ୟେକ ଭୂୟାଁଗୃହ ମଧ୍ୟରେ ପ୍ରବେଶ କଲେ ତୁମ୍ଭେ ଦେଖିବ ଯେ ୨-୪ ସେର ଚାଉଳ ପତ୍ରରେ ବନ୍ଧା ହୋଇ ଶିକାରେ ପଥିକମାନଙ୍କ ସକାଶେ ଗୃହର ଅପେକ୍ଷାକୃତ ଅପ୍ରକାଶ୍ୟ ସ୍ଥଳରେ ଝୁଲୁଅଛି । ପଥିକମାନଙ୍କୁ ଉପବାସରେ ରଖାଇ ସ୍ୱୟଂ ଆହାର କରିବା ଏମାନେ ମହାପାପ ମନେକରନ୍ତି ।

 

ଏହି ଭୂୟାଁମାନଙ୍କର ପାହାଡ଼ିଆ ଭୂୟାଁମାନଙ୍କ ସହିତ ଆଦାନପ୍ରଦାନାଦି ଚଳେ । ମାତ୍ର ଅପେକ୍ଷାକୃତ ସମତଳଭୂମିବାସୀ ହୋଇ ଏମାନେ ନିଜର ଆଦିମ ଭାଷା ବିସ୍ମୃତ ହୋଇଅଛନ୍ତି । ସମ୍ପ୍ରତି ଓଡ଼ିଆ ଏମାନଙ୍କର ମାତୃଭାଷା ହୋଇଅଛି । ସୁଖର ବିଷୟ ଯେ ଓଡ଼ିଆ ଭାଷା ପ୍ରତ୍ୟେକ ଆଦିମ ଜାତିମାନଙ୍କ ମଧ୍ୟରେ ଶନୈଃ ଶନୈଃ ବ୍ୟାପ୍ତ ହୋଇ ନିଜ କ୍ଷେତ୍ର ପ୍ରଶସ୍ତ କରୁଅଛି ।

 

ଏହି ଗ୍ରାମରେ ପ୍ରଧାନ ଅଳ୍ପ ଦିନ ପୂର୍ବରେ ଟାଙ୍ଗିଆରେ ଯୋଡ଼ାଏ ଭାଲୁ ସ୍ୱହସ୍ତରେ ମାରିଥିବାର କହି ନିଜ ଶରୀର ଏବଂ ବସ୍ତ୍ରରେ ଭଲ୍ଲୁକାକ୍ରମଣର ସୁସ୍ପଷ୍ଟ ଚିହ୍ନମାନ ଦେଖାଇଲା । ଏହାର ଯୋଡ଼ିଏ ଯୁବକ ପୁତ୍ରର ନାମ ଧନୁଶର ଏବଂ ଫୁଲଶର । ପୁତ୍ରଦ୍ୱୟକୁ ପ୍ରଧାନ ସଗର୍ବରେ ଦେଖାଇ ଆମ୍ଭମାନଙ୍କ କାର୍ଯ୍ୟରେ ତତ୍ପର ହେବା ସକାଶେ ସତର୍କ କରିଦେଲା । ବୃଦ୍ଧର ସ୍ୱାଭାବିକ ସ୍ଫୂର୍ତ୍ତି, ସରଳତା ଏବଂ ନିର୍ଭୀକତା ଦେଖି ଆମ୍ଭେମାନେ ମୁଗ୍ଧ ହେଲୁଁ । ବସ୍ତ୍ରାଭାବରେ ଏକମାତ୍ର ଅଗ୍ନି ଏମାନଙ୍କର ଶୀତନିବାରଣର ପ୍ରଧାନ ଉପାୟ । କେବଳ ଶୀତ ନିବାରଣ ନୁହେଁ, ବନ୍ୟପଶୁର ଭୟନିବାରଣ ଏବଂ ରାତ୍ରିରେ ଆଲୋକପ୍ରଦାନ ବିଷୟରେ ମଧ୍ୟ ଅଗ୍ନି ପ୍ରଧାନ ସହାୟ । ଶୁଷ୍କ ଶିଶୁ ଶାଳତରୁ ଏ ଅଞ୍ଚଳରେ ମଶାଲର କାର୍ଯ୍ୟ କରେ । କାଠର ଅଭାବ ନାହିଁ । ଏହି ଗ୍ରାମର ଦୁଇ ଏକ କ୍ରୋଶ ମଧ୍ୟରେ ଆମ୍ଭେମାନେ ଅସଂଖ୍ୟ ବୃହତ୍ ବୃହତ୍ ଶୁଷ୍କ ଶାଳ କାଷ୍ଠ ଦେଖିଲୁଁ । ଝୁଣା କାଟିବାରେ ସହସ୍ର ସହସ୍ର ବୃକ୍ଷ ଏରୂପେ ନିଷ୍ପତ୍ର ଏବଂ ଶୁଷ୍କାବସ୍ଥାରେ ଦଣ୍ଡାୟମାନ ଅଛନ୍ତି । ତୈଳାହାଣିବାରେ ମଧ୍ୟ ଅନେକ ବିଶାଳ ବନସ୍ପତି ଏହି ଅବସ୍ଥାକୁ ଭଜନ୍ତି । ବୃକ୍ଷର ମୂଳର କିଞ୍ଚିତ୍ ଉର୍ଦ୍ଧ୍ୱରେ ଚକ୍ରାକାର ଏକ ହାତ ପ୍ରସ୍ଥରେ ବଳ୍କଳ ଛଡ଼ାଇଦେଇ ମୂଳର ଚତୁର୍ଦିଗରେ ଅଗ୍ନି ଜାଳିଦେଲେ ବୃକ୍ଷମାନ ଅଚିରାତ୍ ମରିଯାଇ କଙ୍କାଳାବଶିଷ୍ଟ ହୋଇ ରହନ୍ତି । ପ୍ରତ୍ୟେକ ଗଡ଼ଜାତରେ ବିଶେଷତଃ କନ୍ଧମାଳରେ ଆମ୍ଭେମାନେ ଏହିପରି ଅସଂଖ୍ୟ ମୃତ ତରୁ ଦେଖୁଅଛୁଁ । ସ୍ଥାନର ଅଗମ୍ୟତା ହେତୁରୁ ଏହି ମୂଲ୍ୟବାନ୍ ତରୁମାନଙ୍କର ଏଠାରେ କୌଣସି ମୂଲ୍ୟ ନାହିଁ । ପ୍ରାତଃକଳରେ ଗ୍ରାମର କେତେଗୁଡ଼ିଏ ସ୍ତ୍ରୀ ଅଭ୍ୟର୍ଥନା ସକାଶେ ଆମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ । ଆଗନ୍ତୁକମାନଙ୍କ ସମକ୍ଷରେ ହରିଦ୍ରାମିଶ୍ରିତ ଜଳ ଢାଳି ନମସ୍କାର କରିବା ଏବଂ କୁଷ୍ମାଣ୍ଡ ଅଥବା ଅନ୍ୟ କୌଣସି ଫଳଉପହାର ଦେବାର ଏମାନଙ୍କର ଚିରନ୍ତନ ପ୍ରଥା ଅଟେ । ଏମାନଙ୍କର ବେଶଭୂଷା ଅତି ସାମନ୍ୟ । ଅନ୍ୟାନ୍ୟ ଆଦିମ ନାରୀଙ୍କ ପରି ପଥରମାଳିରେ ଏମାନଙ୍କର ବିଶେଷ ଶ୍ରଦ୍ଧା । ଆମ୍ଭେମାନେ କିଞ୍ଚିତ୍ ପ୍ରତ୍ୟୁପହାର ଦେଇ ଏମାନଙ୍କୁ ବିଦାୟ ଦେଲୁଁ । ଏହି ପାର୍ବତୀୟ ଭୂମିରେ ଧାନ ଫସଲ ପ୍ରାୟ ଦୃଷ୍ଟିଗୋଚର ହୁଏନାହିଁ । ରବି ଶସ୍ୟ, ମକା, କାଙ୍ଗୁ, ରାମତିଳା ଓ ତିଳ ପ୍ରଭୃତି ଏ ଅଞ୍ଚଳରେ ଅପର୍ଯ୍ୟାପ୍ତ ପରିମାଣରେ ଜନ୍ମେ ।

 

ଆମ୍ଭେମାନେ ପୂର୍ବରେ କହିଅଛୁଁ ଯେ ବନ୍ୟ ଫଳମୂଳ ଆଦିମ ଜାତିଙ୍କର ଗୋଟିଏ ପ୍ରଧାନ ଉପଜୀବ୍ୟ, ଏହି ଫଳମୂଳମାନଙ୍କ ମଧ୍ୟରେ ତିକ୍ତ, କଟୁ, କଣ୍ଡୁଜନକ ଅଥବା ବିଷାକ୍ତ ଫଳମୂଳକୁ ସିଝାଇ ଏମାନେ ନିକଟବର୍ତ୍ତୀ ଗିରିନଦୀ ସ୍ରୋତରେ ଥୋଇଦେଇ ଆସନ୍ତି । ଏକ ରାତ୍ର ସ୍ରୋତର ଜଳରେ ଧୌତ ହେଲା ଉତ୍ତାରୁ ଆହାର୍ଯ୍ୟରୂପେ ବ୍ୟବହୃତ ହୁଏ ।

 

ଆମ୍ଭେମାନେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗୋବିନ୍ଦପୁର ତ୍ୟାଗ କଲୁଁ । ପୂର୍ବୋକ୍ତ ପୁରାତନ ସାମରିକ ସଡ଼କରେ ପ୍ରାୟ ଦେଢ଼ କ୍ରୋଶ ଗଲା ଉତ୍ତାରୁ ଗୋଟିଏ ବୃହତ୍ ଘାଟି ପଡ଼ିଲା । ଏହି ଘାଟି ଉତ୍ତୀର୍ଣ୍ଣ ହେବାକୁ ୭/୮ ଘଣ୍ଟା ଲାଗିଲା । ଉପର୍ଯ୍ୟୁପରି ୭ଟି ପର୍ବତ ଆରୋହଣ କରିବାର ସହଜ କଥା ନୁହେ । ଆମ୍ଭେମାନେ ପ୍ରତ୍ୟେକ ପର୍ବତର ଶିଖରଦେଶରେ କିୟତ୍‌କ୍ଷଣ ବିଶ୍ରାମ କରି ଏବଂ ଚତୁର୍ଦିଗରେ ପବିତ୍ର ଦୃଶ୍ୟ ଦେଖି ପୁଣି ଅଗ୍ରସର ହେଉଥିଲୁଁ । ଗୋଟିଏ ସ୍ଥାନରେ ଦୁଇ ପର୍ବତର ସନ୍ଧିସ୍ଥଳରେ ଗୋଟିଏ ସୁନ୍ଦର ଗିରିନଦୀ ଦେଖିଲୁଁ । ସୋପନପରମ୍ପରାବତ୍‌ ଅତି ମସୃଣ କୃଷ୍ଣପ୍ରସ୍ତରାଯ୍ୟାରେ ଏହାର ନିର୍ମଳ ଜଳ କ୍ଷୁଦ୍ର କ୍ଷୁଦ୍ର ପ୍ରପାତ ସଞ୍ଜାତ କରାଇ ଗିରିଶିଖରରୁ ରସାତଳବତ୍‌ ଗଭୀର କନ୍ଦରାଭିମୁଖରେ ପ୍ରଧାବିତ ହେଉଅଛି । ଆମ୍ଭେମାନେ କୌତୁହଳାକ୍ରାନ୍ତ ହୋଇ ଏହି ସ୍ରୋତସଙ୍ଗେ ଅନେକ ଦୂର ତଳକୁ ଓହ୍ଳାଇଲୁଁ । ତେଣିକି ଅଗମ୍ୟ ଓ ଅନ୍ଧକାରାବୃତ ହେବାରୁ ଆଉ ଅଗ୍ରସର ହେବାକୁ ପ୍ରବୃତ୍ତ ହେଲୁଁନାହିଁ ।

 

ଓଡ଼ିଶାରେ ବିଶେଷତଃ କନ୍ଧମାଳରେ ଆମ୍ଭେ ଅନେକ ଘାଟି ଦେଖିଅଛୁଁ । ମାତ୍ର ଏହି ଘାଟି ସର୍ବାପେକ୍ଷା ଉଚ୍ଚ ବୋଧହେଲା । ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ଆମ୍ଭେମାନେ ଏହାର ଶିଖରଦେଶରେ ଉପସ୍ଥିତ ହେଲୁଁ । ଆଚକ୍ରବାଳବିଶାଳ ପ୍ରକୃତିରାଜ୍ୟର ଅନନ୍ତ ବିଚିତ୍ରତା ଅନୁଭବ କରିବା ସକାଶେ ଓଡ଼ିଶାର ଯେବେ କୌଣସି ସ୍ଥାନ ଥାଏ, ସେ ସ୍ଥାନ ଏହି । ଆମ୍ଭେ ହିମାଳୟ ବ୍ୟତୀତ ଏପରି ଦୃଶ୍ୟ ଅନ୍ୟତ୍ର ଦେଖିନାହୁଁ । ଓଡ଼ିଶାର ଜଣେ ନବ୍ୟ କବି, କପିଳା ଶୃଙ୍ଗସୁଲଭ ଚତୁର୍ଦିଗର ଦୃଶ୍ୟକୁ ଲକ୍ଷ୍ୟ କରି କହିଅଛନ୍ତି–

 

‘‘ହେ ଏକାନ୍ତ ଚକ୍ରବର୍ତ୍ତୀ ଏ ସ୍ଥାନେ

ଅଚିନ୍ତନୀୟ ଦୃଶ୍ୟରାଜ୍ୟ ଲୋକନେ ।’’

 

ଏହି ଦୁଇ ପଂକ୍ତି ଉଲ୍ଲିଖିତ ସ୍ଥାନ ପ୍ରତି ଯେମନ୍ତ ପ୍ରଯୋଜ୍ୟ, କପିଳାସ ସମ୍ବନ୍ଧରେ କଦାଚ ସେପରି ନୁହେଁ ।

 

ଦାର୍ଜିର୍ଲିଂ ତଳେ ହିମାଳୟର ପ୍ରତ୍ୟନ୍ତ ପର୍ବତମାନ ଯେମନ୍ତ ଚା-କ୍ଷେତ୍ରରେ ସୁଶୋଭିତ ଦିଶନ୍ତି, ଆମ୍ଭମାନଙ୍କର ପାଦତଳେ ଅସଂଖ୍ୟ ପର୍ବତ ନାନା ଶସ୍ୟ ଓ ଗ୍ରାମମାନଙ୍କରେ ଭୂଷିତ ହୋଇ ଅତି ବିଚିତ୍ର ବୋଧ ହେଉଥିଲା । କୌଣସି କୌଣସି ପର୍ବତରେ ପୁଷ୍ପିତ ରାମତିଳାର କ୍ଷେତ୍ର ପୀତାମ୍ବର ପରି ଶୋଭାପାଉଥିଲା । ଢେଙ୍କାନାଳ, ଲହଡ଼ା, ବାମଣ୍ଡା, ବଣେଇ ଏବଂ କେନ୍ଦୁଝରରର ଅନ୍ୟାନ୍ୟ ଶତ ଶତ ପର୍ବତ ଦୂର ଆକାଶରେ ଚିତ୍ରପଟ ପ୍ରାୟ ପ୍ରତିଭାତ ହେଉଥିଲେ । ଅଧିକ କହିବାର ପ୍ରୟୋଜନ ନାହିଁ । ଭାଷା ଏ ଦୃଶ୍ୟ ନିକଟରେ ପରାସ୍ତ । ଚାକ୍ଷୁଷ ପ୍ରତ୍ୟକ୍ଷ ନକଲେ ଏହା ବୁଝିହେବନାହିଁ । ଏହି ଦୃଶ୍ୟ ଆମ୍ଭମାନଙ୍କ ସ୍ମୃତିର ଗୋଟିଏ ସମ୍ପତ୍ତି ବିଶେଷ ।

 

ଆମ୍ଭେମାନେ ମାର୍ଗରେ ଯେଉଁ ପର୍ବତମାନ ପାରି ହୋଇ ଆସିଲୁ, ତାହା ବ୍ରାହ୍ମୀ ଅବବାହିକାର ପ୍ରାଚୀରସ୍ୱରୂପ । ସନ୍ଧ୍ୟା ସମୟରେ ଆମ୍ଭେମାନେ ବୈତରଣୀର ଅବବାହିକା ଅନ୍ତର୍ଗତ କୁଆଁର ନାମକ ଗ୍ରାମରେ ଉପସ୍ଥିତ ହେଲୁଁ । ଏହି ଗ୍ରାମରେ ମହାରାଜଙ୍କର ଗୋଟିଏ ଥାନା ଏବଂ ସ୍କୁଲ ଅଛି । ଗ୍ରାମରେ ଗୋଟିଏ ସଡ଼କ ମଧ୍ୟ ଦେଖିଲୁଁ । ଗୋଟିଏ ଗିରିନଦୀ ଗ୍ରାମକୁ ଜଳ ଯୋଗାଉଅଛି । କନ୍ଧମାଳ ପରି ଏ ଅଞ୍ଚଳରେ ବୃହତ୍ ପଣସ ବୃକ୍ଷ ଅନେକ ଦେଖାଯାଏ । ବୋଲିବା ବାହୁଲ୍ୟ ଯେ ଭୂୟାଁ ପର୍ବତର ଅନ୍ୟାନ୍ୟ ଗ୍ରାମ ପରି କୁଆଁର ଚତୁର୍ଦିଗରେ ପର୍ବତବେଷ୍ଟିତ ଏବଂ ଏହାର ଲୋକବସତି ସୋପାନମଞ୍ଚ ପରି ସ୍ତରାନ୍ୱିତ । ମାତ୍ର ସ୍ଥାନଟି ଅପେକ୍ଷାକୃତ ପ୍ରଶସ୍ତ ଏବଂ ପରିଷ୍କୃତ ବୋଧହେଲା । ଏ ଅଞ୍ଚଳରେ ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ ଦଧି ଉପହାର ଦିଅନ୍ତି । ଭୂୟାଁପୀଠରେ ପନୀର ପସ୍ତୁତ ହେବାର କଥା ଆମ୍ଭେମାନେ ଏଥିପୂର୍ବେ ଶୁଣିଥିଲୁଁ । ମାତ୍ର ତାହା ଅମୂଳକ । ମାହିଷ ଦୁଗ୍ଧରୁ ଏକ ପ୍ରକାର ଛେନା ପ୍ରସ୍ତୁତ ହୁଏ । ଘିଅ ବୋଳି ତାକୁ ରଖି ପାରିଲେ ପ୍ରାୟ ମାସେ କାଳ ଅବିକୃତ ଅଥବା ସ୍ୱଳ୍ପବିକୃତ ଅବସ୍ଥାରେ ରହେ । ଏହି ଛେନାକୁ ଅବା ପନୀର ବୋଲି ଭାବି ଏପରି କଥା ପ୍ରଚାର କରିଥିବେ । ଗୋଦୁଗ୍ଧ ଭୂୟାଁପୀଠରେ ଅତି ଦୁଷ୍ପ୍ରାପ୍ୟ । କୁଆଁର ଗ୍ରାମର ଅଧିଷ୍ଠାତୃଦେବତାଙ୍କ ନାମ ଲକ୍ଷ୍ମୀପାଟ । ଏ ଅଞ୍ଚଳର ଅଧିକାଂଶ ଗ୍ରାମଦେବତାଙ୍କ ନାମର ଶେଷରେ ‘‘ପାଟ’’ ଶବ୍ଦ ସଂଯୁକ୍ତ ଥିବା ଦେଖାଯାଏ । ଲକ୍ଷ୍ମୀପାଟ ଭୂୟାଁମାନଙ୍କର ଗୋଟିଏ ପ୍ରଧାନ ଦେବତା । ପ୍ରତ୍ୟେକ ଆଦିମ ଜାତି ପରି ଭୂଆଁମାନଙ୍କ ମଧ୍ୟରେ ସ୍ତ୍ରୀ-ସ୍ୱାଧୀନତା ଯଥେଷ୍ଟ ଅଛି । ଅଧିକାଂଶ ସ୍ଥଳରେ ପରସ୍ପର ପ୍ରତି ପ୍ରଣୟ ଜନ୍ମିଲେ ସ୍ତ୍ରୀ-ପୁରୁଷର ପରିଣୟ ସଂଘଟିତ ହୁଏ । କଥୋପକଥନ ପ୍ରସଙ୍ଗରେ ଆମ୍ଭମାନେ ଜଣେ ପ୍ରୌଢ଼ ଭୂୟାଁକୁ ପଚାରିଲୁଁ, ‘‘ତୁମ ପୁଅକୁ ବାହା କରେଇଚ?’’ ପ୍ରୌଢ଼ କହିଲେ, ‘‘ନା, ବାହା କରେଇ ନାହିଁ । ଭେଣ୍ଡିଆ ହେଲାଣି, ତା ମନକୁ ଆସଲେ ବଳେ ଗୋଟାଏ ନେଇ ଆସିବ । ଆଜି ଖଣ୍ଡିଏ ପାନ ଦେବ, କାଲି ଟିକିଏ ଧୂଆଁପତ୍ର ଦେବ, ଏହିପରି କନ୍ୟାର ମନ ବସିଗଲେ ବାହା ହୋଇଗଲା ।’’ ଏହି କଥାରୁ ପାଠକବର୍ଗ ଏମାନଙ୍କର ସରଳ ଜୀବନ ଏବଂ ବିବାହ ପ୍ରଥାର କେତେକ ପରିଚୟ ପାଇପାରିବେ ।

 

କୁଆଁରରୁ ଆମ୍ଭେମାନେ ପରଦିନ ଗୋନାସିକା ଯାତ୍ରାକଲୁଁ । ମାର୍ଗ ଅବଶ୍ୟ ବନ୍ଧୁର । ତୈଳା କୃଷିଯୋଗୁଁ ପର୍ବତମାନଙ୍କର ଅଧିକ ଅରଣ୍ୟ ନାହିଁ । ତଥାଚ ଯାହା ଅଛି, ତାହା ସମତଳ ଓଡ଼ିଶାବାସୀଙ୍କର କଳ୍ପନାତୀତ । ଏକ ଏକ ସ୍ଥାନରେ ରାମତିଳାର କ୍ଷେତ୍ର ଦୃଶ୍ୟର ବିଚିତ୍ରତା ସମ୍ପାଦନ କରୁଅଛି । ଆମ୍ଭେମାନେ ପ୍ରାୟ ଦୁଇ କ୍ରୋଶ ଯାଇ ବୈତରଣୀ ଭେଟିଲୁଁ । ଏଠାରେ ବୈତରଣୀ ୭/୮ ହାତରୁ ଅଧିକ ପ୍ରଶସ୍ତ ନୁହେଁ । ଶଯ୍ୟା ଉପଳମୟ ଏବଂ ବିଶାଳ ବନସ୍ପତି ଛାୟାରେ ଅନ୍ଧକାରିତ । ସନ୍ଧ୍ୟା ସମୟରେ ଆମ୍ଭେମାନେ ଗୋନାସିକାରେ ଉପସ୍ଥିତ ହେଲୁଁ ।

 

ଗୋନାସିକା ଗୋଟିଏ ପାର୍ବତୀୟ ଜୁଆଙ୍ଗ ଗ୍ରାମ । ଅତି ଉଚ୍ଚାବଚ । କେନ୍ଦୁଝରରେ ଏ ଗୋଟିଏ ପ୍ରଧାନ ତୀର୍ଥ, ଏହି ପର୍ବତପୂର୍ଣ୍ଣ ସ୍ଥାନର କିଞ୍ଚିତ୍ ଦୂରବର୍ତ୍ତୀ ଗୋଟିଏ ପର୍ବତରୁ ବୈତରଣୀ ନିଃସୃତ ହେଉଅଛି । ଉତ୍ପତ୍ତି ସ୍ଥାନରେ ‘‘ଆଦ୍ୟ ବୈତରଣୀ’’ ଏହି ଶବ୍ଦ ନାଗରାକ୍ଷରରେ ପ୍ରସ୍ତର ଦେହରେ ଅଙ୍କିତ ହୋଇଅଛି । ପର୍ବତର କିୟଦ୍ଦୂରରେ ଗୋଟିଏ ଉଚ୍ଚ ପ୍ରସ୍ତରର ଉଚ୍ଚସ୍ଥଳୀ ଅଛି । ବୈତରଣୀ ଏହି ସ୍ଥଳୀର କାନ୍ଥିରେ ଗୋନାସିକା ଗ୍ରାମାଭିମୁଖରେ ବହିଯାଉଅଛି । ସ୍ଥଳୀକୁ ‘‘ଋଷି-ସଭା’’ କହନ୍ତି । ଗୋନାସିକା ଗ୍ରାମ ନିକଟରେ ନଦୀର ଶଯ୍ୟା ବିଶିଷ୍ଟ ଉପଳଖଣ୍ଡରେ ପରିପୂର୍ଣ୍ଣ । ଖଣ୍ଡିଏ ଅପେକ୍ଷାକୃତ ବୃହତ୍ ପ୍ରସ୍ତରଦ୍ୱାରା ଜଳ ରୁଦ୍ଧ ହୋଇ ସେହି ପ୍ରସ୍ତରସ୍ଥିତ ଛିଦ୍ରଦ୍ୱାରା ଗୋଟିଏ କୁଣ୍ଡରେ ସ୍ୱଚ୍ଛଧାରରେ ପତିତ ହେଉଅଛି । ଏହି ପ୍ରସ୍ତରକୁ ଗୋନାସିକା କହନ୍ତି । ମାତ୍ର ଗୋନାସିକା ସହିତ ଏହାର ଯେବେ କୌଣସି ସାଦୃଶ୍ୟ ଥାଏ, ଥାହା କେବଳ ବିଶ୍ୱାସ-ଚକ୍ଷୁଗ୍ରାହ୍ୟ । ଏହିଠାରେ ଆମ୍ଭେମାନେ ୩/୪ଟି ଚମ୍ପକ ବୃକ୍ଷ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଚମ୍ପକ ବୃକ୍ଷ ଏପରି ବୃହତ୍ ହୋଇପାରେ, ଏହା ଆମ୍ଭମାନଙ୍କର ଧାରଣା ନଥିଲା । ନଦୀତୀରରେ ମହାରାଜ ଗୋଟିଏ ଶିବମନ୍ଦିର ଏବଂ ନଦୀଶଯ୍ୟା ପର୍ଯ୍ୟନ୍ତ ଦୀର୍ଘ ସୋପାନଶ୍ରେଣୀ ପ୍ରସ୍ତୁତ କରାଇ ଦେଇଅଛନ୍ତି ।

 

ଏଠାରେ କ୍ଷୀଣଧାରା ବୈତରଣୀ ସହିତ ଯାଜପୁର ଅଥବା ଚାନ୍ଦବାଲିର ବୈତରଣୀକୁ ତୁଳନା କରି ଉଭୟର ଅନ୍ତର ଉପଲବ୍ଧି କଲେ ହୃଦୟ ବିସ୍ମୟରସରେ ପରିପ୍ଳୁତ ହୁଏ ।

 

ଭୂୟାଁପୀଢ଼ର ଏହି ଅଞ୍ଚଳ ସମଧିକ ଉଚ୍ଚ ହୋଇଥିବାରୁ ଏଠାରେ ଶୀତଋତୁରେ ବରଫ ପଡ଼େ । ସ୍ଥାନୀୟ ଲୋକେ ଏହାକୁ ‘‘ପଣ୍ଡୁ’’ କହନ୍ତି । ‘‘ପଣ୍ଡୁ’’ ଶବ୍ଦ ସମ୍ଭବତଃ ପାଣ୍ଡୁର ଅପଭ୍ରଂଶ । ଜୁଆଙ୍ଗମାନେ ଆଜି ପର୍ଯ୍ୟନ୍ତ ଲୁଗା ପିନ୍ଧିନଥିବାର କଥା କୌଣସି କୌଣସି ପୁସ୍ତକରେ ଲିଖିତ ଦେଖାଯାଏ । ମାତ୍ର ଏ କଥା ବର୍ତ୍ତମାନ ସମୟ ପ୍ରତି ପ୍ରଯୋଜ୍ୟ ବୋଲି ବୋଧେ ହେଉନାହିଁ । ଆମ୍ଭେମାନେ ଯେଉଁ ଜୁଆଙ୍ଗ ଅଥବା ଜୁଆଙ୍ଗୀମାନଙ୍କୁ ଦେଖିଥିଲୁଁ, ସେମାନେ ସମସ୍ତେ ଲୁଗା ପିନ୍ଧିଥିଲେ ।

 

ଜୁଆଙ୍ଗୀମାନେ ଅପେକ୍ଷାକୃତ ଖର୍ବାକାର । ଅଧିକାଂଶ ଜୁଆଙ୍ଗୀର ଦେହର ପୂର୍ବାର୍ଦ୍ଧ ବସ୍ତ୍ରରେ ଅନାବୃତ ହେଲେହେଁ, ପଥର ମାଳିରେ ଆବୃତ ଥାଏ ।

 

ଜୁଆଙ୍ଗମାନେ ଭୂୟାଁମାନଙ୍କ ଅପେକ୍ଷା ଆଦିମତର ଅବସ୍ଥାରେ ଥିବାର ବୋଧହୁଏ । ଗୋମାଂସ ଏମାନଙ୍କ ମଧ୍ୟରେ ନିଷିଦ୍ଧ ନୁହେଁ । ଜୁଆଙ୍ଗମାନଙ୍କ ଗୋବଧ କରିବା ସମ୍ବନ୍ଧରେ ଏହି ପ୍ରବାଦ ପ୍ରଚଳିତ ଅଛି । ଗୋରୁ ବୃଦ୍ଧ ବା ଅକର୍ମଣ୍ୟ ହେଲେ ତାହାକୁ ମାରିବା ଅଭିପ୍ରାୟରେ ଗୋଟିଏ ଗଛର ମୂଳକୁ ଏମନ୍ତଭାବରେ କାଟନ୍ତି ଯେ ସାମାନ୍ୟ ଆକର୍ଷଣରେ ଗଛ ପଡ଼ିଯିବ । ବୃକ୍ଷକୁ ଏହିପରି କାଟି ସେଥିରେ ଗୋରୁକୁ ବାନ୍ଧିଦିଅନ୍ତି । ଗୋରୁର କର୍ଷଣଦ୍ୱାରା ବୃକ୍ଷ ଅବଶ୍ୟ ଗୋରୁ ଉପରେ ପଡ଼ି ଗୋରୁ ମରିଯାଏ । ଜୁଆଙ୍ଗମାନେ ଏକଦଳ ହୋଇ ଆସି ଗୋରୁ ଚାରିପାଖରେ ବସି ଗମ୍ଭୀରଭାବରେ କହନ୍ତି, ‘‘ଉଠ ଉଠ ଗୋରୁ ମାତା, ଆମ ଦୋଷ ନାହିଁଟି ।’’ ଏହା କହିଲା ଉତ୍ତାରୁ ଯେବେ ଗୋରୁ ନ ଉଠିଲା, ଜୁଆଙ୍ଗମାନେ ଆପଣାକୁ ନିର୍ଦୋଷ ଓ ଗୋରୁକୁ ଆହାର୍ଯ୍ୟ ମଣି ଆପଣା ମଧ୍ୟରେ ମାଂସ ବଣ୍ଟନର ସୁବିଧା କରନ୍ତି । ଗୋନାସିକାରୁ ଆମ୍ଭେମାନେ କେନ୍ଦୁଝର ଗଡ଼କୁ ଗଲୁଁ । ମାର୍ଗ ନିରବଚ୍ଛିନ୍ନ ପର୍ବତସଙ୍କୁଳ ଓ ଅରଣ୍ୟମୟ । କେନ୍ଦୁଝର ନଗର ଗୋଟିଏ ବିସ୍ତୃତ ପ୍ରାନ୍ତରରେ ଅବସ୍ଥିତ । ପର୍ବତ ଉପରୁ ଗଡ଼କୁ ଅବତରଣ କରିବାବେଳେ ଏହି ପ୍ରାନ୍ତରର ବିସ୍ତୃତି ଉତ୍ତମରୂପେ ହୁଏ । ବସ୍ତୁତଃ ଏପରି ସୁବିସ୍ତୃତ ପ୍ରାନ୍ତର ଓଡ଼ିଶାରେ ବିଶେଷତଃ ଜାଙ୍ଗଳ ଓଡ଼ିଶାରେ ବିରଳ ।

 

କେନ୍ଦୁଝର ଗଡ଼ର ଦକ୍ଷିଣ ପଶ୍ଚିମରେ ପର୍ବତମାଳ ପ୍ରାଚୀର ପ୍ରାୟ ଦଣ୍ଡାୟମାନ । ପୂର୍ବୋକ୍ତ ରାଜଧାନୀମାନଙ୍କ ଅପେକ୍ଷା ଅନେକ ବୃହତ୍ତର । ଏଠାରେ ଯେଉଁ ତାର ପ୍ରସ୍ତୁତ ହୁଏ, ତାହା ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ । ବଳଦେବଙ୍କ ମନ୍ଦିର ଏଠାରେ ପ୍ରଧାନ ଦୃଶ୍ୟ । ଗଡ଼ର ଜଳବାୟୁ ଆଦୌ ସ୍ୱାସ୍ଥ୍ୟକର ନୁହେଁ । ଶିକ୍ଷୋନ୍ନତି ସମ୍ବନ୍ଧରେ କେନ୍ଦୁଝର, ଲହଡ଼ା ଶ୍ରେଷ୍ଠ । କେନ୍ଦୁଝରରେ ଆମ୍ଭେମାନେ ଦୁଇ ଦିନ ମାତ୍ର ଅବସ୍ଥାନ କରି ବସନ୍ତପୁର, ପୁରୁମୁଣ୍ଡା, ତାରା, ବାଲିଯୋଡ଼ୀ ଏବଂ କାନ୍ଥୋ ବାଟେ ବୈତରଣୀ ତୀରସ୍ଥିତ ହେଲୁଁ । ମାର୍ଗ ମଧ୍ୟରେ ଉଚିତ ବ୍ୟବଧାନରେ ମହାରାଜ ପୁଷ୍କରିଣୀମାନ ଖୋଳାଇ ଦେଇଅଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଆନନ୍ଦପୁରରୁ କେନ୍ଦୁଝରଗଡ଼କୁ ଗୋଟିଏ ସଡ଼କ ପ୍ରସ୍ତୁତ ନହେବାର ଅତ୍ୟନ୍ତ ଦୁଃଖର କଥା । ଏ ମାର୍ଗ ଏମନ୍ତ କିଛି ବନ୍ଧୁର ଅଥବା ପର୍ବତସଙ୍କୁଳ ନୁହେଁ ଯେ ରାଜପଥ ନିମନ୍ତେ ବ୍ୟୟସାଧ୍ୟ ହେବ । ଏ ମାର୍ଗରେ ଗମନାଗମନ ସମୟରେ ଲୋକେ କିପରି କଷ୍ଟରେ ପଡ଼ନ୍ତି, ଆମ୍ଭେମାନେ ତାହା ଅନୁଭବରୁ ଜାଣିଅଛୁଁ । ସମଗ୍ର ଗଡ଼ଜାତ ଭ୍ରମଣର କଷ୍ଟ ଏହି ଅଞ୍ଚଳରେ କେନ୍ଦ୍ରୀଭୂତ ପ୍ରାୟ ବୋଧହେଲା । ଏହି ମାର୍ଗ ମଧ୍ୟରେ ଘାଟଗାଁ ସର୍ବପ୍ରଧାନ ସ୍ଥାନ । କେନ୍ଦୁଝରର ପ୍ରଧାନ ଦେବୀ ତାରିଣୀ ଏହିଠାରେ ଅଧିଷ୍ଠିତ । ଦେବୀଙ୍କର ଦୁଇ ମୂର୍ତ୍ତି । ପଥର ପାର୍ଶ୍ୱବର୍ତ୍ତୀ ଗୋଟିଏ କୁଞ୍ଜ ମଧ୍ୟରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠିତ, ତାହା ସାଧାରଣ ଲୋକେ ଦେଖନ୍ତି ଏବଂ ପୂଜା କରନ୍ତି । ରାଜାଙ୍କ ଦର୍ଶନ ସକାଶେ ଅରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ମୂର୍ତ୍ତି ଅଛନ୍ତି । ଶୁଣିବାରେ ରାଜା ଏବଂ ଦେହୁରୀ ବ୍ୟତୀତ ଏ ମୂର୍ତ୍ତି ଦେଖିବାର ଆଉ କାହାରି ଅଧିକାର ନାହିଁ । ଦେବୀଙ୍କଠାରେ ବଳିଦାନ ନିମିତ୍ତ ଅନେକ ଛାଗ ଆସୁଥିବାର ଦେଖାଗଲା ।

 

ବାଲିଯୋଡ଼ୀ ନାମକ ସ୍ଥାନରେ ଆମ୍ଭେମାନେ ଗୋଟିଏ ତୋଟାରେ ପର୍ଣ୍ଣମାଳା ପ୍ରସ୍ତୁତ କରାଇ ଅବସ୍ଥାନ କଲୁଁ । ଏଠାରେ ସମୟ ସମୟରେ ବନ୍ୟ ହସ୍ତିର ଭୟ ହୁଏ । ସ୍ଥାନଟି ପ୍ରଶସ୍ତ, ମାତ୍ର ଚାରିଆଡ଼େ ଘୋର ବନ । ମୟୂରରବରେ ଏହି ବନ ଅନୁକ୍ଷଣ ଶବ୍ଦାୟମାନ । ରାତ୍ରରେ ବ୍ୟାଘ୍ର ଗର୍ଜନ ଶୁଣି ଆମ୍ଭମାନଙ୍କର ଶଙ୍କା ଜାତ ହେବାରୁ ଅଧିକ ପରିମାଣରେ ଅଗ୍ନି ପ୍ରଜ୍ୱଳିତ କରି କଷ୍ଟମଷ୍ଟରେ ରାତ୍ରି ଅତିବାହିତ କଲୁଁ ।

 

ପୁରୁମୁଣ୍ଡାରୁ ତାରା ଏବଂ ବାଲିଯୋଡ଼ୀରୁ ଆନନ୍ଦପୁରକୁ ଆସୁ ଆସୁ ମାର୍ଗରେ ବାରାବାଙ୍କ ଏବଂ ମୀନଘାଟି ପଡ଼ିଲା । ଗୋଟିଏ ଗିରିନଦୀ ପର୍ବତବ୍ୟୂହରେ ରୁଦ୍ଧ ହୋଇ ସର୍ପବତ୍‌ ବକ୍ରଗତିରେ ପ୍ରବାହିତ ହେଉଥିବାରୁ ତାହାକୁ ଅନେକ ଥର ପାରି ହେବାକୁ ହୁଏ । ଏହାକୁ ଲୋକେ ବାଡ଼ବାଛୁ କହନ୍ତି । ମୀନଘାଟି ଅତି କ୍ଷୁଦ୍ର ଘାଟି ।

 

ଆନନ୍ଦପୁରରେ ଆମ୍ଭେମାନେ ଦୁଇଦିନ ଅବସ୍ଥାନ କରିଥିଲୁଁ । ଏହି ସ୍ଥାନର କିଞ୍ଚିତ୍ ଉପରେ ବୈତରଣୀର ନାବ୍ୟତାରା ସୀମା । ଆନନ୍ଦପୁର କେନ୍ଦୁଝରରେ ସର୍ବପ୍ରଧାନ ସ୍ଥାନ, ମାତ୍ର ଏଠାରେ ଅରଣ୍ୟର ଅଭାବ ନାହିଁ । ରାତ୍ରରେ ଗୃହର ଅତି ନିକଟରେ ଆମ୍ଭମାନେ ଥରକୁ ଥର ବ୍ୟାଘ୍ରର ଭୟଙ୍କର ଗର୍ଜନ ଶୁଣିଥିଲୁଁ । ତସର ଲୁଗା ସକାଶେ ଆନନ୍ଦପୁର ପ୍ରସିଦ୍ଧ । କୁଶଳେଶ୍ୱରାଧିଷ୍ଠିତ ଦେବଗାଁ ଆନନ୍ଦଗୁରରୁ ତିନି କ୍ରୋଶ ଦୂରରେ ଅବସ୍ଥିତ । ଏହିଠାରେ ମହରାଜଙ୍କର ଅନେକ ସୁକୀର୍ତ୍ତି ଥିବାର ଶୁଣିଥିଲୁଁ ।

 

ଅଳ୍ପଦିନ ହେଲା ଆନନ୍ଦପୁରରେ ମହାରାଜ ଗୋଟିଏ ବୃହଦାୟତନ ହର୍ମ୍ୟ ପ୍ରସ୍ତୁତ କରାଇଅଛନ୍ତି । ଅତି ନିକଟକୁ ଯାଇ ଏ ଗୃହ ଦେଖିଲେ କାରିଗରର ସୁରୁଚି ସମ୍ବନ୍ଧରେ ଲୋକର ସନ୍ଦେହ ଜାତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ।

 

ଆନନ୍ଦପୁରରୁ ଆମ୍ଭେମାନେ ଆମ୍ବୋ ଏବଂ କୋରାଇ ମାର୍ଗରେ ଧର୍ମଶାଳାରେ ଉପସ୍ଥିତ ହେଲୁଁ । ସେଠାରୁ ଯଥାସମୟରେ କଟକ ଆସିଲୁଁ ।

Image